ସ୍ମୃତି ତୁମେ ଫୁଲରୁ ଭଁଅର ମହୁ ପିଉଥିବା ମଧୁର ମୁହୂର୍ତ୍ତ ତିଥି,
ସ୍ମୃତି ତୁମେ ବରଷା ଛିଟାରେ ମାଟିର କାନ୍ଥରୁ ଝରିପଡୁଥିବା ମାଟି,
ସ୍ମୃତି ତୁମେ ଅକ୍ଷୟ ସଙ୍ଗୀତ "ପାଉଁଶ ତଳର ନିଆଁ" ଅଭୁଲା ଅମର ଗୀତି,
ସ୍ମୃତି ତୁମେ ଓଳି ଚାଳପାଣି ବରଷା ସୁଅରେ କାଗଜ ଡଙ୍ଗାର ସାଥି,
ସ୍ମୃତି ତୁମେ ପହିଲି ପ୍ରେମର ମହମରେ ଲେଖା ଗୋଲାପୀ ଲଫାପା ଚିଠି,
ସ୍ମୃତି ତୁମେ କୁଆଁର ପୁନେଇ କଇଁ ଚଉଁରାରେ ଝିଲମିଲ ଜହ୍ନ ରାତି,
ସ୍ମୃତି ତୁମେ ଗାଁ ଚାଟସାଳି ଗୋବର ଗାଡ଼ିଆ ପିଲାଦିନ ଧୂଳିସାଥି,
ସ୍ମୃତି ତୁମେ "ଯେତେ ବାସୀହୁଅ ସେତେ ବାସୁଥାଅ" ପାଆନ୍ତି ମଧୁମାଳତି,
ସ୍ମୃତି ତୁମେ ନିତି ବହିଥାଅ ନିରବ ରାତିରେ ସାଜି ସେ ଚୋରା ଚଇତି,
ସ୍ମୃତି ତୁମେ କୁହୁକ ରାଇଜ କାଉଁରୀ କନିଆଁ ଶିହରାଇ ଦିଅ ଛାତି,
ସ୍ମୃତି ତୁମେ କେବେ ଓଦାକର ଆଖି ଦୁଇ ମୋର କେବେ ହସ ପେନ୍ଥିପେନ୍ଥି,
ସ୍ମୃତି ତୁମେ ଭାରି ଅଝଟିଆ ଭାରି ଅଲିଅଳି ଛାତିରେ ରୁହ ମୋ ହୋଇ ଗୁନ୍ଥୀ,
ସ୍ମୃତି ତୁମେ ମନେ ପଡିଲେ ଭାରି କଷ୍ଟ
ତଥାପି କାହିଁକି ସରେନା ଭାବନା, କେଜାଣି ଇଏ କି ତୃପ୍ତି ।

Comments
Post a Comment